Unknown

 

 

 

 

 

 

 

 

 

କଳାକର ଚଉତିଶା

କରୁଣାକର ଦାସ

 

କୃଷ୍ଣ ଗଲେ ମଧୁପୁରୀ

କେମନ୍ତେ ବଞ୍ଚିବେ ଗୋପର ନାରୀ, ହେ କଳାକର,

କଂସ ତ ହେଲା ଭଗାରି ।୧।

 

ଖଟିଥିଲୁ ପାଦ ତଳେ

ଖଣ୍ଡିଲା ଦଇବ ଆମ୍ଭରି ମେଳେ, ହେ କଳାକାର,

ଖଣ୍ଟ ପରିଚାର ମେଳେ ।୨।

 

ଗୋପାଳପୁଅଙ୍କ ମେଳେ

ଗାଈ କେ ରଖିବ ଯମୁନା କୂଳେ, ହେ କଳାକର

ଗୀତ ଗାଇନୀପମୂଳେ ।୩।

 

ଘର ହେଲା ଘୋର ବନ

ଘନଶ୍ୟାମ ବିନୁ ନ ଜାଣୁ ଆନ, ହେ କଳାକର,

ଘରେ ରହୁନାହିଁ ମନ ।୪।

 

ନୀଳାମ୍ବର ଗଲେ ଛାଡ଼ି

ନିୟମ କରିଣ କୁହୁଛୁ ଫେଡ଼ି, ହେ କଳାକର,

ନିଶ୍ଚୟ ଦେବୁ ଦଉଡ଼ି ।୫।

 

 

ଚାଣ୍ଡାଳ ଅକ୍ରୂର ପିଣ୍ଡ

ଚୂରନ୍ତୁ ରଥପରେ ଖଣ୍ଡ ଖଣ୍ଡ, ହେ କଳାକର,

ଚକ୍ରରେ ଛେଦିବୁ ମୁଣ୍ଡ ।୬।

 

ଛାଡ଼ିକର ଗଲେ ଏବେ

କ୍ଷଣେ ନ ରହିଲେ ଆମ୍ଭରି ସଙ୍ଗେ, ହେ କଳାକର,

ଛନ୍ଦ କଲେ ନନ୍ଦ ସଙ୍ଗେ ।୭।

 

ଜୀବ ଯିବା ବଡ଼ ସୁଖ

ଜୀଇ ଥାଉ ଥାଉ ପାଇଲୁ ଦୁଃଖ, ହେ କଳାକର,

ଜଗତ୍ରେ ହସିବେ ଲୋକେ ।୮।

 

ଝାସିବୁ ସାଗରେ ଗୋଈ

ଝୀନବସନିଆ ଅଇଲେ ନାହିଁ, ହେ କଳାକର,

ଝୁରି ମଲୁ ଗୋପଗୋଈ ।୯।

 

ନିୟମ କରିଣ ଗଲେ

ନରହି ଆସିବୁ ବୋଲି ବୋଇଲେ, ହେ କଳାକର

ନାଗରୀ ସଙ୍ଗ ପାଇଲେ ।୧୦।

 

 

ଟଳାଟଳି ପଣ କଲେ

ଟେକି ରଥ ଚଢ଼ି ମଥୁରା ଗଲେ, ହେ କଳାକର

ଟାଣ ଆମ୍ଭର ଭାଙ୍ଗିଲେ ।୧୧।

 

ଠାକୁର ସେ ନୀଳାମ୍ବର

ଠକି ଭଣ୍ଡିଗଲେ ମଥୁରାପୁର, ହେ କଳାକର,

ଠକ ସେ ପାପୀ ଅକ୍ରୂର ।୧୨।

 

ଡୋଳାପିତୁଳା ଗୋବିନ୍ଦ

ଡକାଇତ କଂସ କଲା କି ବାଦ, ହେ କଳାକର,

ଡୁବାଇ ଦେଲା ସଂପଦ ।୧୩।

 

ଢମାଣିଆ ପୀତବାସ

ଢାଳେ ହେଁ ଆମ୍ଭକୁ କଲେ ନିରାଶ, ହେ କଳାକର

ଢୋକିବୁ ଗରଳ ବିଷ ।୧୪।

 

ଅସୁର ମାୟା ତାଙ୍କର

ଅହନ୍ତା କରି ଗଲେ ମଧୁପୁର, ହେ କଳାକର,

ଆୟତ୍ତ ନାହିଁ ଆମ୍ଭର ।୧୫।

 

 

ତ୍ରିଭୁନେ ଦେଖା ନାହିଁ

ତରୁମୂଳିଆକୁ ପାଇବୁ କାହିଁ, ହେ କଳାକର,

ତିଳେ ମନରୁ ନ ଯାଇ ।୧୬।

 

ଥୋଇ ହରାଇଲୁ ଧନ

ଥଣ୍ଟ ମାରି ନେଲା କଣ୍ଠି-ସୁବର୍ଣ୍ଣ, ହେ କଳାକର,

ଥଏ ହେଉନାଇଁ ମନ ।୧୭।

 

ଦୀନ ଦୟାଳୁ ଶ୍ରୀ ହରି

ଦୁଃଖ ଦେଇଗଲେ ମଥୁରାପୁରୀ, ହେ କଳାକର,

ଦିନ ନ ସରଇ ଝୁରି ।୧୮।

 

ଧନ୍ୟ ତା ତ୍ରିଭଙ୍ଗ ଠାଣି

ଧଇର୍ଯ୍ୟ ଧରିବ କେଉଁ ତରୁଣୀ, ହେ କଳାକର

ଧୁରୁ ନ୍ୟନ୍ତି ମନ କିଣି। ।୧୯।

 

ନିସ୍ତାର ତାହାଙ୍କ ଜନ

ନେଇ ଛାଡ଼ିଗଲେ ବହନ ଜନ, ହେ କଳାକର,

ନପଡ଼ିଲୁ ଆଉ ମନ ।୨୦।

 

 

ପରତେ ନଥିଲା ମନ

ପୁଣି ସେ ଭେଟିବୁ ଶ୍ରୀବୃନ୍ଦାବନ, ହେ କଳାକର,

ପୂର୍ବହୁଁ ଅତି ଯତନ ।୨୧।

 

ଫୁଲଗଭାକୁ ସଜାଡ଼ି

ଫିଟାଇ କେ ଘେନି ଗଲାକ ବେଡ଼ି, ହେ କଳାକର,

ଫେରି ମୁଁ କଥାଏ ଏଡ଼ି ।୨୨।

 

ବରହୀ-ବାଙ୍କ ଚୂଳିଆ

ବାଙ୍କନୟନ ସେ ତରୁମୂଳିଆ, ହେ କଳାକର,

ବଡ଼ ଅଟନ୍ତି ମେଳିଆ ।୨୩।

 

ଭରସା ଦିଶୁ ନାହିଁ

ଭଗାରିହସା ତ କଲେ କହ୍ନାଇ, ହେ କଳାକର,

ଭଗତବନ୍ଧୁ ବୋଲାଇ ।୨୪।

 

ମାୟାଧର ନୀଳାମ୍ବର

ମାୟାକରି ଗଲେ ମଥୁରାପୁର, ହେ କଳାକର,

ମେଲାଣି ଆମ୍ଭଙ୍କୁ କର ।୨୫।

 

 

ଯାମଳା-ଅର୍ଜ୍ଜୁନ-ଭଞ୍ଜ

ଯିବାକୁ ଗୋପରୁ ହୋଇଲେ ସଜ, ହେ କଳାକର,

ଜନମୁଖେ ଦେଇ ଲାଜ ।୨୬।

 

ରସ କଉତୁକ ବାଢ଼ି

ରହିଲେ ମଥୁରା ଏ ସୁଖ ଛାଡ଼ି, ହେ କଳାକର,

ରାତ୍ର ଦିବା ଗଲୁ ସଢ଼ି ।୨୭।

 

ଲକ୍ଷ୍ମୀ ତ ଶ୍ରୀଧରଧର

ଲଳିତ ଲାଗିଣ ଜ୍ୟୋତି ମଧୁର, ହେ କଳାକର,

ଲଏ ନୋହେ ବ୍ରହ୍ମାସୁର ।୨୮।

 

ବ୍ରହ୍ମା ନେଲେ ବଛା ହରି

ବଚ୍ଛା ଯେତେକ ସେ ଆପଣା କରି, ହେ କଳାକର,

ବରଷକେ ଦେଲେ ଫେରି ।୨୯।

 

ଶ୍ରୀକରେ ମନ୍ଦର ଗିରି

ସ୍ୱର୍ଗେ ଇନ୍ଦ୍ର ତାଙ୍କୁ ନୁହନ୍ତି ସରି, ହେ କଳାକର,

ଶ୍ରୀପାଦେ ତ ଗଲା ହାରି ।୩୦।

 

 

ଶ୍ୟାମବନ୍ଧୁ ଆମ୍ଭ ପ୍ରାଣ

ସତେକି ଦେଖିବୁ ନନ୍ଦନନ୍ଦନ, ହେ କଳାକର,

ସରିଲା ଆମ୍ଭର ଟାଣ ।୩୧।

 

ସତ୍ୟ କରିଥିଲୁ ସୂର୍ଯ୍ୟକୁ ଚାହିଁ, ହେ କଳାକର

ସେ ସତ୍ୟ ରହିଲା ନାହିଁ ।୩୨।

 

ହରିବେ ଆମ୍ଭର ଦୁଃଖ

ହୋଇଅଛୁ ଆମ୍ଭେ ଅତି ନିରେଖ, ହେ କଳାକର,

ହୃଦରେ ରଖିବେ ସୁଖ ।୩୩।

 

କ୍ଷେମାନିଧି ମଧୁପୁର

କ୍ଷେମା ଦେବେ ଦାସ କରୁଣାକର, ହେ କଳାକର,

କ୍ଷିଦ୍ର କଥା ଯାଉ ଦୂର ।୩୪।